ଜାତିର ଜନକ ମହାତ୍ମାଗାନ୍ଧୀ କହିଥିଲେ “ପ୍ରକୃତ ଭାରତବର୍ଷକୁ ତୁମେ ତାହାର କେତୋଟି ସହରରେ ଖୋଜିଲେ ପାଇବ ନାହିଁ । ମାତ୍ର ତାହାର ସାତ ଲକ୍ଷ ଗ୍ରାମରେ ହିଁ ତାହାକୁ ଦେଖିବାକୁ ପାଇବ । ତେଣୁ ଭାରତର ବାସ୍ତବ ଉନ୍ନତି ଏହାର ଗ୍ରାମ ଗୁଡିକର ଉନ୍ନତିରେ ହିଁ ରହିଛି ।” ହେଲେ ଏବେ ଦେଖାଯାଉଛି ଧୀରେ ଧୀରେ ଗାଁଗୁଡିକ ଶ୍ରୀହୀନ ହୋଇଯାଉଛନ୍ତି । ହଜିଯାଉଛି ସବୁଜିମା, ଏକ ଧୂସରିଆ ପରିବେଶ ଭିତରୁ ମ୍ଳାନ ଦିଶୁଛି ଗାଁ ଗୁଡିକର ମୁଖଶ୍ରୀ । ଭିତ୍ତିଭୂମୀର ବିକାଶ ହୋଇଛି, ହୋଇଛି ଗାଁକୁ ପକ୍କା ସଡକ ହେଲେ ବଦଳରେ ବଳିପଡିଛନ୍ତି ଶହଶହ ବର୍ଷର ବିଶାଳ ବୃକ୍ଷରାଜି । ଦିନେ ଆମ୍ବ, ପଣସ, ବର, ଅଶ୍ୱତ୍ଥ, ଚାକୁଣ୍ଡା ପରି ଘଞ୍ଚପତ୍ରଥିବା ବୃକ୍ଷରାଜି ଭିତରେ କେଉଁଠି ଲୁଚିଯାଉଥିଲା ଗାଁଗୁଡିକର ଘର । ଦୂରରୁ ଦିଶୁଥିଲା କେବଳ ସବୁଜିମା ଆଉ ସବୁଜିମା । ଏବେ କିନ୍ତୁ ଯେକୌଣସି ଗାଁକୁ ଦୂରରୁ ଅବଲୋକନ କଲେ ଦିଶୁଛି ଗାଁର ଶ୍ୱେତ, ଧୂସର ବା ନାନାବର୍ଣ୍ଣର ଛୋଟବଡ ଅଟ୍ଟାଳିକାମାଳ । ବାହ୍ୟ ଦୃଷ୍ଟିରୁ ଏହା ନିଶ୍ଚିତଭାବେ ପ୍ରଗତି କିନ୍ତୁ ଗାଁର ଚାଳଘରଗୁଡିକର ଆତ୍ମୀୟତା ଆଉ ମିଳୁନି ଏ ହର୍ମ୍ୟମାଳାରେ । କେମିତି ଖାଁ ଖାଁ ଗୋଡାଉଛି ଗାଁ । ସକାଳହେଲେ କାଉର କା କା ରାବ ଅଥବା କୁକୁଡାର ଡାକ ଗାଁରେ ବି ଏବେ ସ୍ୱପ୍ନ । ଆମ୍ବଗଛ ନଥିବାରୁ କୋଇଲି, ହଳଦୀବସନ୍ତ ପରି ପକ୍ଷୀମାନେ କଦବାକ୍ୱଚିତ ଦିଶୁଛନ୍ତି । ଗାଁ ମୁଣ୍ଡ ପୁଷ୍କରିଣୀରେ କଇଁଫୁଲ ଫୁଟୁନି କି ଗ୍ରାମ୍ୟବାଳକ ବନିଶୀ ଧରି ବସୁ ନାହାନ୍ତି । କମୁଛି ସହର ଓ ଗାଁ ଭିତରେ ଦୂରତା । ହେଲେ ବଢୁଛି ମଣିଷର ହୃଦୟ ଭିତର ବ୍ୟବଧାନ । ଗାଁ ଏବେ ପାଲଟିଛି କେବଳ ଅସହାୟ ବୃଦ୍ଧ, ବୃଦ୍ଧା, ଗ୍ରାମୀଣ ମହିଳା ଏବଂ କୁନିକୁନି ପିଲାଙ୍କ ଆବାସସ୍ଥଳୀ । ଏମିତିକି ଗାଁରେ ରହୁଥିବା ବୟସ୍କଲୋକମାନେ ରାତି ଅଧରେ ରୋଗବାଧିକାରେ ପଡିଲେ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ମଣିଷ ଅଭାବ ପଡୁଛନ୍ତି । ନାହାନ୍ତି ଆଉ ଗାଁରେ ହଟ୍ଟାକଟା ଯୁବକ, ବସୁନାହାନ୍ତି ଛକମୁଣ୍ଡରେ । ଶିଳ୍ପାୟନ ଓ ସହରାୟନ ସେମାନଙ୍କୁ ଆକର୍ଷିତ କରିଛି ଓ କରୁଛି । ପାଠୁଆ, ଅପାଠୁଆ, ଅଧାପାଠୁଆ ଯୁବକ କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ଆଉ ଦାଦନ ଖଟୁଛନ୍ତି ଯାଇ କେଉଁ ସୁଦୁର ସୁରଟ, ମୁମ୍ବାଇ, ଅହମଦାବାଦରେ । ଯେଉଁମାନେ ଦୂରକୁ ଯାଇ ନ ପାରୁଛନ୍ତି ସେମାନେ କଟକ ଭୁବନେଶ୍ୱର ପରି ସହରମାନଙ୍କ ରେ ଛୋଟମୋଟ କାମ କରି ଜୀବିକା ନିର୍ବାହ କରୁଛନ୍ତି । ଆଧୁନିକ ଜୀବନ ଜୀବିକା ନିର୍ବାହ ନିମନ୍ତେ ଯେତିକି ଅର୍ଥ ଦରକାର ତାହା ଗାଁର ପରିବେଶରେ ରୋଜଗାର କରିବାର ସମର୍ଥ ହୋଇନପାରିବାରୁ ଗାଁ ଯୁବକ ସହରାଭିମୁଖୀ ହେଉଛି । କୃଷିଭିତ୍ତିକ ଗ୍ରାମ୍ୟ ଅର୍ଥନୀତି ଭୁଷୁଡ଼ି ପଡ଼ୁଛି । ଏ ସମସ୍ୟା ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଛି ।
ଏସବୁ ସତ୍ତେ୍ୱ ବି ଆମ ଗାଁ ଆମର ଗୌରବ । ଆମକୁ ଫେରାଇ ଆଣିବାକୁ ହେବ ଗାଁର ସବୁଜିମା । ଏଥି ଲାଗି ଆମର ଗ୍ରାମବାସୀଙ୍କ ଜଡତାକୁ ଭାଙ୍ଗିବାକୁ ପଡିବ । ମାଟିକୁ ଅଥର୍ବ ହେବାକୁ ନଦେଇ ତାକୁ ଶସ୍ୟଶ୍ୟାମଳା କରିବାକୁ ହେବ । ଏ ଦିଗରେ ଏହି ବ୍ଲଗର କ୍ଷୁଦ୍ର ପ୍ରୟାସ । ଆପଣ ମନେ ପକାନ୍ତୁ ଆପଣଙ୍କ ଗାଁକୁ । ଖୋଜନ୍ତୁ ନିଜ ଗାଁକୁ ଆଉ ପଢନ୍ତୁ ଏଠାରେ.....
http://villageofodisha.blogspot.in/p/odisha-village.html